ଆରମ୍ଭ ହେଲା ବିଶ୍ୱକ୍ରୀଡା ମହାକୁମ୍ଭ

ଆଜି ଠାରୁ ଆରମ୍ଭ ହୋଇଛି ବିଶ୍ବ କ୍ରୀଡ଼ା ମହାକୁମ୍ଭ। ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ପ୍ୟାରିସ ଅଲିମ୍ପିକ୍ସର ଉଦଘାଟନୀ ସମାରୋହ। ଏହା ପୂର୍ବରୁ ଅଲିମ୍ପିକ୍ସ ରିଙ୍ଗ୍ ଏବଂ ଚିକମିକ୍ ଆଲୋକରେ ପୁରା ଝଲସିଛି ପ୍ୟାରିସର ବିଶ୍ବପ୍ରସିଦ୍ଧ ଆଇଫିଲ୍ ଟାୱାର୍। ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଆଜିଠାରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ଯାଏଁ ଅଲିମ୍ପିକ୍ସ ଆୟୋଜିତ ହେଉଥିବା ବେଳେ, ଏଥିରେ ବିଶ୍ୱର ମୋଟ ୧୦ ହଜାର ୫ଶହ ଆଥଲେଟ୍ ଭାଗ ନେଉଛନ୍ତି। ଭାରତରୁ ଏଥର ଭାଗ ନେଉଛନ୍ତି ମୋଟ ୧୧୭ ଜଣିଆ କଣ୍ଟିନଜେଣ୍ଟ। ଯେଉଁଥିରେ ୪୭ ଜଣ ମହିଳା ଏବଂ ୭୦ ଜଣ ପୁରୁଷ କ୍ରୀଡ଼ାବିତ୍ ଅଛନ୍ତି । ବିଭିନ୍ନ ବିଭାଗ ଯଥା ଟ୍ରାକ୍ ଆଣ୍ଡ୍ ଫିଲ୍ଡରେ ସର୍ବାଧିକ ୨୯ ଜଣ ଏବଂ ସୁଟିଂରେ ୨୧ ଜଣ ପ୍ରତିଦ୍ବନ୍ଦ୍ବିତା କରିବେ। ଖେଳାଳି ମାନଙ୍କ ସହ ୬୭ ଜଣ କୋଚ୍ ଓ ୭୨ ଜଣ ସପୋର୍ଟ ଷ୍ଟାଫ ମେମ୍ବର ଏଥର ପ୍ୟାରିସ ଗସ୍ତରେ ଯାଇଛନ୍ତି। ଅନ୍ୟପଟେ ହରିୟାଣାରୁ ସର୍ବାଧିକ ୨୫ ଜଣ ଆଥଲେଟ୍ ପ୍ୟାରିସ୍ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ବେଳେ ୧୮ ଜଣ ଆଥଲେଟଙ୍କ ସହ ଦ୍ବିତୀୟ ସ୍ଥାନରେ ରହିଛି ପଞ୍ଜାବ। ସେହିପରି ତୃତୀୟରେ ତାମିଲନାଡୁର ୧୨ ଜଣ ଆଥଲେଟ୍ ଏଥିରେ ଭାଗ ନେବାକୁ ଯାଉଛନ୍ତି । ସେହିପରି ସିକ୍କିମ, ଗୋଆ, ଆସାମ, ବିହାରରୁ ସର୍ବନିମ୍ନ ଜଣେ ଲେଖାଏଁ କ୍ରୀଡାବିତ ଏଥର ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବେ ।ଅନ୍ୟପଟେ ଅଲିମ୍ପିକ୍ସ ୨୦୨୪ର ଉଦଘାଟନୀ ସମାରୋହ ବେଶ ରୋମାଞ୍ଚକର ହୋଇଛି । ଉଦଘାଟନୀ ସମାରୋହରେ ଏଥର ମୋଟ ଭାଗ ନେଇଛନ୍ତି ୩ହଜାର ନୃତ୍ୟଶିଳ୍ପୀ। ପ୍ରଥମ ଥର ପାଇଁ ଏଥର ଷ୍ଟାଡିୟମ ଭିତରେ ନୁହେଁ ବରଂ ପ୍ୟାରିସ ମଝି ଦେଇ ବହିଥିବା ସେନ୍ ନଦୀରେ ନୌକାରେ ଦେଶ ମାନଙ୍କର ପରେଡ୍ ଅନୁଷ୍ଠିତ ହୋଇଛି । ଏଥର ଭାରତ କଣ୍ଟିନଜେଣ୍ଟର ନେତୃତ୍ବ ନେଇ ଜାତୀୟ ପତାକା ତ୍ରିରଙ୍ଗା ଧରିଛନ୍ତି ଟେବଲ୍ ଟେନିସ୍ ର ଲିଜେଣ୍ଡ୍ ଅଚନ୍ତା ଶରତ କମଳ ଏବଂ ଷ୍ଟାର୍ ବ୍ୟାଡମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ।

Leave a Reply

Your email address will not be published. Required fields are marked *