ଘନାଉଛି ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା, ତୈଳ ବଜାରରେ ଲାଗିଛି ନିଆଁ

ବିଶ୍ୱ ଦେଖିବ କି ତୃତୀୟ ବିଶ୍ୱଯୁଦ୍ଧ ? ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ଦିନକୁ ଦିନ ସ୍ଥିତି ଭୟଙ୍କର ହେବାରେ ଲାଗିଛି । ଘନେଇବାରେ ଲାଗିଛି ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା। ମଙ୍ଗଳବାର ଇସ୍ରାଏଲ ଉପରେ ୪୦୦ ମିସାଇଲ ମାଡ଼ କରିଛି ଇରାନ୍। ହିଜବୁଲ୍ଲା ମୁଖ୍ୟ ହସରତ୍ ନସରଲ୍ଲା ନିହତର ଦୁଇ ଦିନ ପରେ ବଦଲା ନେଇଛି ଇରାନ୍। ଗତକାଲି ରାତିରେ ଘନ ଘନ ମିସାଇଲ୍ ମାଡ଼ ହୋଇଛି। ଇସ୍ରାଏଲର ଜାଫା ସୀମା ନିକଟରେ ଥିବା ଜନବସତି ଓ ସେନା ବେସ୍ ର ବେଶ୍ ନିକଟରେ ଏହି ଆକ୍ରମଣ ହୋଇଛି।

ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ରିଟାଲିଏଟ୍ କରିବା ପୂର୍ବରୁ ହିଁ ଇସ୍ରାଏଲ୍ ଆକାଶରେ ମୃତ୍ୟୁର ତାଣ୍ଡବ ରଚିଛି ଇରାନ। ଇସ୍ରାଏଲ୍ ଆକାଶରେ ଇରାନର ମିଶାଇଲ ଦେଖିଲେ ତୁରନ୍ତ ଏହାକୁ ଖସାଅ ବୋଲି ଆମେରିକା ସେନାକୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍। ଇରାନ୍ ମିଶାଇଲକୁ କାଉଣ୍ଟର କରିବା ସହ ଖସାଇବାକୁ ସେନାକୁ ନିର୍ଦ୍ଦେଶ ଦେଇଛି ଆମେରିକା। ଇସ୍ରାଏଲ୍ ଉପରେ ଇରାନର ହମଲା ପରେ ଆମେରିକା ୱାସିଂଟନ୍ ରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ। ଆମେରିକା ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ୱାର୍ ରୁମରେ ଯୁଦ୍ଧ ପରିସ୍ଥିତିର ସମ୍ପୂର୍ଣ ଅନୁଧ୍ୟାନ ହୋଇଛି।

ଇସ୍ରାଏଲକୁ ସମ୍ପୂର୍ଣ୍ଣ ଭାବେ ସମର୍ଥନ ଜଣାଇଛି ଆମେରିକା। କିନ୍ତୁ ଏହି ଆକ୍ରମଣ ପରେ ପରେ ଏବେ ତୈଳ ବଜାରରେ ଲାଗିଛି ନିଆଁ। ବଜାରରେ ବୃଦ୍ଧି ପାଇଛି ଅଶୋଧିତ ତୈଳ ଦର। ଇରାନ-ଇସ୍ରାଏଲ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଯୋଗୁ ଅଶୋଧିତ ତୈଳ ମୂଲ୍ୟରେ ୫% ବୃଦ୍ଧି ଘଟିଛି। WTI ଅଶୋଧିତ ତୈଳ ବ୍ୟାରେଲ ପିଛା ଏବେ ୭୧ ଡଲାରେ ପହଞ୍ଚିଛି। ସେହିପରି ପୂର୍ବରୁ ଗ୍ଲୋବାଲ ବେଞ୍ଚ ମାର୍କ ବ୍ରେଣ୍ଟ ବର୍ଗର ଅଶୋଧିତ ତେଲ ଦର ୨.୭% ହ୍ରାସ ହୋଇଥିବା ବେଳେ ଏହା ଏବେ ବ୍ୟାରେଲ ପିଛା ମଧ୍ୟ ୭୫ ଡଲାର ଟପିଛି। ଇରାନ୍ ହେଉଛି ମିଡିଲ ଇଷ୍ଟରେ ଅଶୋଧିତ ତୈଳ ଉତ୍ପାଦକର ଏକ ପ୍ରମୁଖ ଦେଶ। କାରଣ ଏହି ଅଞ୍ଚଳରୁ ହିଁ ବିଶ୍ୱର ଏକ ତୃତୀୟାଂଶ ତେଲ ଯୋଗାଣ ହୋଇଥାଏ।

ଯଦି ଇସ୍ରାଏଲ ବର୍ତ୍ତମାନ ଆକ୍ରମଣ କରି ଇରାନ ବିରୋଧରେ ପ୍ରତିଶୋଧ ନେଉଛି, ତେବେ ଏହାର ସିଧାସଳଖ ପ୍ରଭାବ ଅଶୋଧିତ ତୈଳ ବଜାରରେ ପଡିବ । ଯଦି ଏପରି ଲାଗିରୁହେ ତେବେ ଅଶୋଧିତ ତୈଳ ମୂଲ୍ୟରେ ଆହୁରି ବୃଦ୍ଧି ହେବ ବୋଲି ବିଶେଜ୍ଞମାନେ ଆଶଙ୍କା ପ୍ରକାଶ କରୁଛନ୍ତି । ଭାରତରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଉପରେ ନିର୍ଭର କରେ। ଯଦି ଅଶୋଧିତ ତୈଳ ଦର ବଢ଼େ, ତେବେ ଭବିଷ୍ୟତରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ପ୍ରଭାବିତ ହୋଇପାରେ।

Leave a Reply

Your email address will not be published. Required fields are marked *