କେନାଲକୁ ଖସିପଡ଼ିଲା ଟ୍ରକ

ପୁଣି ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସ୍ୟାମ ହରାଇ କେନାଲକୁ ଖସିପଡ଼ିଲା ଟ୍ରକ। ରାସ୍ତାରେ ଥିବା ଏକ ଖାଲରୁ ବର୍ତ୍ତିବାକୁ ଡ୍ରାଇଭର ଚେଷ୍ଟା କରୁଥିବାବେଳେ ନିୟନ୍ତ୍ରଣ ହରାଇ ଗାଡ଼ିଟି କେନାଲ ଭିତରେ ଖସି ପଡ଼ିଥିଲା । ଏଥିରେ ପ୍ରାୟ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଆନ୍ଧ୍ରପ୍ରଦେଶର ଦେବରାପାଲ୍ଲୀ ଗ୍ରାମ ନିକଟରେ ଘଟିଥିବା ସୂଚନା ମିଳିଛି। ଖବର ପାଇ ପୋଲିସ୍ ଘଟଣା ସ୍ଥଳରେ ପହଁଞ୍ଚି ଗୁରୁତର ହୋଇଥିବା ଜଣେ ଯାତ୍ରୀଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିବା ସହିତ ମୃତଦେହ ଗୁଡିକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ଅଧୀକ୍ଷକ ଜି ଦେବ କୁମାର କହିଛନ୍ତି ଯେ , ମଙ୍ଗଳବାର ମଧ୍ୟରାତ୍ରିରେ ଆଠ ଜଣଙ୍କୁ ନେଇ ଏକ ଟ୍ରକ୍‌ ଆସୁଥିବାବେଳେ ଏହି ଟ୍ରକ୍‌ଟି କେନାଲକୁ ଖସିପଡ଼ିଥିଲା । ଯାହାଫଳରେ ଟ୍ରକ୍ ଉପରେ ବସିଥିବା ସମସ୍ତ ୭ ଜଣଙ୍କ ମୃତ୍ୟୁ ଘଟଣାସ୍ଥଳରେ ହିଁ ହୋଇଥିଲା । ତେବେ ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଏହି ସଡ଼କ ଦୁର୍ଘଟଣାକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *