ମମତାଙ୍କ ଉପରେ ଗର୍ଜିଲେ ଅଭୟାଙ୍କ ମାଆ

କୋଲକାତା : କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୩୧ ବର୍ଷୀୟା ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାକୁ ଏହାରି ଭିତରେ ଏକ ମାସ ପୂରିଗଲାଣି। ଏବେ ମଧ୍ୟ ପୀଡ଼ିତାଙ୍କୁ ନ୍ୟାୟ ଏବଂ ଦୋଷୀଙ୍କୁ ଫାଶୀଦଣ୍ଡ ଦାବିରେ ପଶ୍ଚିମବଙ୍ଗ ସହିତ ସାରାଦେଶ ଜଳୁଛି। ହଜାର ହଜାର ଲୋକ ପ୍ରତିଦିନ ରାଜରାସ୍ତାକୁ ଓହ୍ଲାଇ ଏହାର ପ୍ରତିବାଦ କରୁଛନ୍ତି। ନିକଟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା ଏକ ମନ୍ତବ୍ୟ ଏବେ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ଗତକାଲି ଗଣମାଧ୍ୟମକୁ ସମ୍ବୋଧିତ କରି ତ୍ରୁଣମୂଳ କଂଗ୍ରେସର ମୁଖ୍ୟ ମମତା କହିଥିଲେ ଯେ, ଆପଣମାନେ ପ୍ରତ୍ୟେକ ଦିନ ରାତିରେ ରାଜରାସ୍ତାରେ ଏଭଳି ବିରୋଧ କରୁଛନ୍ତି ଯାହାଦ୍ୱାରା ଏଥିରେ ଅନେକ ବୃଦ୍ଧ ଲୋକ ହଇରାଣ ହେବା ସହିତ ସେମାନେ ରାତିରେ ଠିକରେ ଶୋଇ ପାରୁନାହାନ୍ତି। ଏଠାରେ ରାତି ୧୦ଟା ପରେ ମାଇକ୍‌ ବ୍ୟବହାର ଉପରେ ପ୍ରତିବନ୍ଧକ ଥିବା ସତ୍ତ୍ବେ ଆପଣ ମାନେ ତାହାକୁ ବ୍ୟବହାର କରୁଛନ୍ତି। ଘଟଣାକୁ ଏକ ମାସ ବିତିଗଲାଣି ବର୍ତ୍ତମାନ ତଦନ୍ତ ସିବିଆଇ ହାତରେ ଅଛି ଏବଂ ପୀଡ଼ିତାଙ୍କୁ ଖୁବଶୀଘ୍ର ନିଶ୍ଚୟ ନ୍ୟାୟ ମିଳିବା ସହ ମୁଁ ଆପଣମାନଙ୍କୁ ନିବେଦନ କରୁଛି ଯେ ଏବେ ଆପଣମାନେ ପୂଜାକୁ ଫେରନ୍ତୁ। ମମତାଙ୍କ ଏହି ମନ୍ତବ୍ୟ ଉପରେ ପୀଡିତାଙ୍କ ପିତାମାତା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପୀଡିତାଙ୍କ ମାଆ କହିଛନ୍ତି ଯେ, ଆମେ ପର୍ବପର୍ବାଣୀ ଆମ ଝିଅ ସହ ପାଳନ କରୁ। କିନ୍ତୁ ଯେତେବେଳେ ଆମେ ଆମର ଝିଅକୁ ହରାଇଛୁ ଆମର ପର୍ବପର୍ବାଣୀ କ’ଣ ହେବ ବୋଲି ମମତାଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ପୀଡିତାଙ୍କ ମାଆ।

Leave a Reply

Your email address will not be published. Required fields are marked *