ବିବାହ ହେଉଛି ଏକ ପବିତ୍ର ବନ୍ଧନ | ଦୁଇଟି ମନର ମିଳନରେ ବିବାହ ସଂପନ ହୋଇଥାଏ | ବିଶ୍ୱରେ ବିଭିନ୍ନ ପ୍ରକାରର ବିବାହ ଦେଖିବାକୁ ମିଳିଥାଏ | କିଏ କିଏ ଦୁଇ ତିନିଥର ବିବାହ କରିଥାନ୍ତି ତ ଆଉ କିଏ ନିଜ ଜୀବନସାଥୀ କୁ ଦୁଇ ତିନି ପ୍ରକାର ପରମ୍ପରାରେ ବିବାହ କରିଥାନ୍ତି | କୁଏତରେ ବିବାହକୁ ନେଇ ଏପରି ଘଟଣା ଦେଖିବାକୁ ମିଳିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ବିବାହର ମାତ୍ର ୩ ମିନିଟ ପରେ ହୋଇଛି ଦମ୍ପତିଙ୍କର ଛାଡପତ୍ର | ବେଶ ଖୁସିରେ ସମ୍ପର୍କୀୟ ମାନଙ୍କ ଗହଣରେ ପରସ୍ପରକୁ ବାହାହେଲେ। ଜଜଙ୍କ ଆଗରେ ପରସ୍ପରକୁ ସ୍ୱାମୀ-ସ୍ତ୍ରୀ ଭାବେ ଗ୍ରହଣ ମଧ୍ୟ କଲେ। ମାତ୍ର ସ୍ୱାମୀ-ସ୍ତ୍ରୀ ହେବାର ମାତ୍ର ୩ ମିନିଟ ପରେ ସେମାନଙ୍କର ହୋଇଯାଇଛି ଛାଡ଼ପତ୍ର। ଏହା ହେଉଛି ବିଶ୍ୱର ସବୁଠାରୁ ଛୋଟିଆ ସମୟ ପାଇଁ ବାହାଘର। ପ୍ରକାଶିତ ହୋଇଥିବା ରିପୋର୍ଟରେ କୁହାଯାଇଛି ଯେ କୋର୍ଟ ହାଉସରେ ଉଭୟ ପରସ୍ପରକୁ ବିବାହ କରିଥିଲେ। ସେଠାରେ ଉଭୟଙ୍କ ପରବାର ଲୋକ ଓ ବନ୍ଧୁବାନ୍ଧବ ମାନେ ମଧ୍ୟ ଉପସ୍ଥିତ ରହିଥିଲେ। ବାହାଘରର ସମସ୍ତ ରୀତିନିୟମ ସରିବା ପରେ ଉଭୟ ଏକାଠି କୋର୍ଟ ରୁମରୁ ବାହାରି ଘରକୁ ଯିବା ପାଇଁ ବାହାରୁଥିଲେ । ଏତିକି ବେଳେ କନ୍ୟା ଜଣଙ୍କ ଝୁଣ୍ଟି ପଡ଼ିଥିଲେ। ଏହା ଦେଖି ବର ହସିବା ସହ ତାଙ୍କୁ ସମସ୍ତଙ୍କ ଆଗରେ କଟାକ୍ଷ କରି ନିର୍ବୋଧ କହିଥିଲେ। ସମସ୍ତଙ୍କ ଆଗରେ ସେ ତାଙ୍କୁ ନିର୍ବୋଧ କହିବାରୁ ଏହା କନ୍ୟାକୁ ବେଶ ବାଧିଥିଲା। ସେ ରାଗି ଯାଇ ପୁଣି ବାହାଘର କରିଥିବା ଜଜଙ୍କ ପାଖରେ ଯାଇ ପହଞ୍ଚିଥିଲେ। ଏଥିସହ ଛାଡ଼ପତ୍ରର ବ୍ୟବସ୍ଥା କରିବାକୁ ଜଜ ଙ୍କ ଆଗରେ ଅନୁରୋଧ କରିଥିଲେ । ଏହି ଘଟଣା ଘଟିବା ପରେ ସମସ୍ତେ କନ୍ୟାକୁ ସମସ୍ତେ ବୁଝାସୁଝା କରିଥିଲେ। ହେଲେ କନ୍ୟା ଜଣକ ନିଜ ଜିଦରୁ ଓହରି ନଥିଲେ। ଶେଷରେ ବିଚାରପତି ଜଣଙ୍କ ମଧ୍ୟ ଉଭୟଙ୍କ ଛାଡ଼ପତ୍ର ତୁରନ୍ତ କରାଇ ଦେଇଥିଲେ। ବାହାଘରର ମାତ୍ର ୩ ମିନିଟ ପରେ ଏପରି ଛାଡ଼ପତ୍ର ଘଟଣା ହେଉଛି ବିଶ୍ୱରେ ପ୍ରଥମ ଘଟଣା। ପ୍ରକୃତରେ ଏହି ଘଟଣାଟି ୨୦୧୯ରେ ଘଟିଥିଲା। ଏବେ ଏହା ସୋଶାଲ ମିଡିଆରେ ଭାଇରାଲ ହେବା ଦ୍ୱାରା ଲୋକ ଲୋଚନକୁ ଆସିଛି |। ୨୦୦୪ରେ ବ୍ରିଟେନର ଗୋଟିଏ ଦମ୍ପତି ବାହାଘରର ମାତ୍ର ୯୦ ମିନିଟ ପରେ ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ।