ଭବିଷ୍ୟତରେ ପୁରୁଷ ଶୂନ୍ୟ ହୋଇଯିବ କି ପୃଥିବୀ ? ଆଗକୁ ଆଉ ଜନ୍ମ ନେବେନି କି ପୁରୁଷ ? ବର୍ତ୍ତମାନ ଏଭଳି କିଛି ପ୍ରଶ୍ନ ଉଙ୍କି ମାରିଛି।
ବର୍ତ୍ତମାନ ମାନବ ଶରୀରରେ ଘଟୁଥିବା ଏକ ବଡ ପରିବର୍ତ୍ତନକୁ ଠାବ କରି ପାରିଛନ୍ତି ବୈଜ୍ଞାନିକ ମାନେ । ଏକ ଅନୁସନ୍ଧାନରୁ ଜୀବବିଜ୍ଞାନୀମାନେ ଏକ ଗୁରୁତ୍ୱପୁର୍ଣ ତଥ୍ୟ ଖୋଜି ପାଇଛନ୍ତି ଯେ, ବର୍ତ୍ତମାନ ପୁରୁଷଙ୍କ ଶରୀରରେ ଥିବା Y କ୍ରୋମୋଜୋମ ଧୀରେ ଧୀରେ ଲୋପ ପାଉଛି। ଯଦି ଏହି ପ୍ରକିୟା ଏବେ ଘଟିଚାଲେ, ତେବେ ଭବିଷ୍ୟତରେ ସମଗ୍ର ପୃଥିବୀ ପୁରୁଷ ଶୂନ୍ୟ ହୋଇ ଯିବାର ଆଶଙ୍କା ବହୁ ମାତ୍ରାରେ ରହିଛି। ସାଧାରଣତଃ ପୁରୁଷଙ୍କ ଶରୀରରେ ଥିବା Y କ୍ରୋମୋଜୋମ କାରଣରୁ ହିଁ ପୁତ୍ର ସନ୍ତାନ ଜନ୍ମ ନେଇଥାଏ। ଯଦି ଏହି କ୍ରୋମୋଜୋମ ଏବେ ମାନବ ଶରୀରରେ ବିଲୁପ୍ତ ହୋଇଯାଏ ତେବେ ଆଗକୁ ପୃଥିବୀ ସମ୍ପୂର୍ଣ ପୁରୁଷ ଶୂନ୍ୟ ହୋଇଯିବା ନେଇ ଜୀବବିଜ୍ଞାନୀମାନେ ପ୍ରକାଶ କରିଛନ୍ତି। ଜେନେଟିକ୍ସର ଜଣେ ପ୍ରତିଷ୍ଠିତ ପ୍ରଫେସର ଜେନିଫର ଏ ମାର୍ଶାଲ ଗ୍ରେଭସ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ତାଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ମାନବ ଶରୀରରେ ଥିବା Y ଗୁଣସୂତ୍ରର ସମୟ ଶେଷ ହେବାକୁ ଲାଗିଛି। ବିଗତ 300 ନିୟୁତ ବର୍ଷ ମଧ୍ୟରେ ମୋଟ 1438ଟି ଜିନରୁ ପ୍ରାୟ 1393ଟି ଜିନ୍ ଏବେ ସମ୍ପୂର୍ଣ ଭାବରେ କ୍ଷୟ ହୋଇସାରିଲାଣି। ଯଦି ଆଗକୁ ଏପରି କ୍ଷୟ ଘଟିଚାଲେ ତେବେ ଆଗାମୀ 10 ନିୟୁତ ବର୍ଷ ମଧ୍ୟରେ ଅବଶିଷ୍ଟ 45ଟି ଜିନର ମଧ୍ୟ ସମ୍ପୂର୍ଣ ଅବକ୍ଷୟ ଘଟିଯିବ। ମାନବ ଶରୀରରେ ଯଦି ଏପରି କ୍ଷୟ ଘଟିଚାଲେ ତେବେ ପୁଅ ଜନ୍ମ ପାଇଁ ସହାୟକ ହେଉଥିବା SRY ଜିନ୍ ସମୟ ସହିତ ଲୋପ୍ ପାଇଯିବ। ଫଳରେ ପ୍ରଜନନ ପ୍ରକ୍ରିୟା ସମ୍ପୂର୍ଣ ଭାବରେ ଅସମ୍ଭବ ହୋଇଯିବ। ତେବେ ଏହି ସବୁ ଆଶା ଆଶଙ୍କା ମଧ୍ୟରେ ଜାପାନରେ ଥିବା ମୂଷା ମାନଙ୍କ ଉପରେ କରାଯାଇଥିବା ଏକ ବିଶେଷ ଅଧ୍ୟୟନ ପୃଥିବୀ ପୃଷ୍ଠରେ ମାନବ ଜାତି ତିଷ୍ଠି ରହିବା ନେଇ ଆଶା ସୃଷ୍ଟି କରିଛି। କାରଣ ପୁରୁଷ ମୂଷାଙ୍କ ଶରୀରରେ Y କ୍ରୋମୋଜୋମ୍ ଲୋପ ପାଇଯିବା ପରେ ପୁଣି ସେମାନଙ୍କ ଶରୀରରେ ନୂତନ ପୁରୁଷ ନିର୍ଣ୍ଣୟକାରୀ ଜିନ୍ ବିକଶିତ ହୋଇଥିଲା। ବର୍ତ୍ତମାନ ବୈଜ୍ଞାନିକ ମାନଙ୍କର ଏହି ଆବିଷ୍କାର ଭବିଷ୍ୟତରେ ମାନବ ଜାତି ତିଷ୍ଠି ରହିବା ଉପରେ ଆଶା ସଞ୍ଚାର କରିଛି।