ପୁଣି ଅନ୍ ଲାଇନ ଟ୍ରେଡିଙ୍ଗ ନେଲା ଆଉ ଏକ ଜୀବନ। ନଦୀକୁ ଡେଇଁ ପଡ଼ିଲେ ଯୁବକ। ଅନ୍ ଲାଇନ ଟ୍ରେଡିଙ୍ଗରେ କ୍ଷତି ସହିବା ଯୋଗୁ ଜଣେ ଯୁବକ ଆଜି କାଠଯୋଡ଼ି ନଦୀକୁ ଡେଇଁ ପଡ଼ିଥିବା ନେଇ ଅଭିଯୋଗ ହୋଇଛି। ତାଙ୍କ ନାଁ ତୁଷାର ଭଟ୍ଟ ଏବଂ ତାଙ୍କ ଘର ଗୁଜରାଟରେ ବୋଲି ଜଣାପଡିଛି । ତୁଷାର ଭୁବନେଶ୍ୱରରେ ଆସି ରହୁଥିଲେ। ସୂଚନା ଅନୁସାରେ ,ଗତ ବୁଧବାର ଦିନ ୨ଟା ସମୟରେ କୌଣସି କାମରେ କାର୍ ନେଇ ଘରୁ ବାହାରି ଯାଇଥିଲେ ତୁଷାର। ଏହା ପରଠୁ ସେ ଆଉ ଘରକୁ ଫେରି ନଥିଲେ। ଆଜି ସକାଳେ ତୁଷାରଙ୍କ କାର୍ ଦୀର୍ଘ ସମୟ ଧରି ତ୍ରିଶୁଳିଆ ବ୍ରିଜ ଉପରେ ଛିଡ଼ା ହୋଇଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। କାର୍ ପାଖରେ ମଧ୍ୟ ହଳେ ଚପଲ ପଡ଼ି ରହିଥିଲା। ଘଟଣା ସ୍ଥଳରେ ବାରଙ୍ଗ ପୁଲିସ ପହଞ୍ଚି ଯାଞ୍ଚ କରିବା ସହିତ ଘଟଣାର ଆଉ ଅଧିକ ତଦନ୍ତ କରୁଛି। ପ୍ରାଥମିକ ତଦନ୍ତରୁ ଅନ୍ ଲାଇନ ଟ୍ରେଡିଙ୍ଗରେ କ୍ଷତି ସହିବା ପରେ ତୁଷାର ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ବର୍ତ୍ତମାନ ସନ୍ଦେହ କରାଯାଉଛି।