ଶ୍ରୀମନ୍ଦିରରେ ଲାଗିଲା ରକ୍ତଛିଟା

ପୁରୀ : ଆଜି ଶ୍ରୀମନ୍ଦିରରେ କରାଗଲା ବଡମହାସ୍ନାନ । ଶ୍ରୀ ମନ୍ଦିରରେ ଲାଗିଲା ରକ୍ତଛିଟା ।ଭିତରକାଠ ନିକଟରେ ରକ୍ତଛିଟା ପଡିବାରୁ ଶ୍ରୀମନ୍ଦିରରେ ହେଲା ବଡମହାସ୍ନାନ । ଶ୍ରୀ ଜୀଉଙ୍କର ସକାଳଧୂପ ପରେ ହେଲା ବଡମହାସ୍ନାନ ନୀତି। ଏଥିପାଇଁ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ । ବଡମହାସ୍ନାନ ନୀତି ସମ୍ପନ୍ନ ହେବାପରେ ସ୍ବାଭାବିକ୍ ହେବ ସାଧାରଣ ଦର୍ଶନ ବ୍ୟବସ୍ଥା। ଅନ୍ୟପଟେ ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି । ଆଜିର ଦିନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେବ । ଏହି ବେଶରେ ଆଜି ମହାପ୍ରଭୁଙ୍କୁ କୃଷ୍ଣ ଏବଂ ବଳଭଦ୍ରଙ୍କୁ ବଳରାମ ରୂପରେ ସୁସଜ୍ଜିତ କରାଯିବ । ଏହାସହିତ ଦେବୀ ସୁଭଦ୍ରା ମଧ୍ୟ ଚତୁର୍ଭୁଜ ଧାରଣ କରି ଭିନ୍ନଭିନ୍ନ ଆୟୁଧ ସହ ପଦ୍ମାସନରେ ଉପବେସନ କରିବେ । ଏହି ବେଶ ଦ୍ବିପ୍ରହର ଧୂପ ପରେ ଆରମ୍ଭ ହୋଇ ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ରହିଥାଏ । ମହାପ୍ରଭୁଙ୍କ ଏହି ବେଶରେ ତାଙ୍କ ପାଖରେ ଖିରି ସହିତ ଅମାଲୁ ଭୋଗ ଲାଗି ହୋଇଥାଏ । ମହାପ୍ରଭୁଙ୍କୁ କୃଷ୍ଣ ବଳରାମ ବେଶରେ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ ବୋଲି ଶାସ୍ତ୍ରରେ ବିଶ୍ବାସ ରହିଛି ।

Leave a Reply

Your email address will not be published. Required fields are marked *