ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ, ୨୫-୨୬ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୨/୦୭: ଓଡ଼ିଶାରେ ଲାଗିରହିଛି ଲଘୁଚାପ ସିରିଜ | ତୁହାକୁ ତୁହା ହେଉଛି ବର୍ଷା | ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଘୁଚାପ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି | ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ | ଆସନ୍ତା ୨୫ ଓ ୨୬ ତାରିଖ ଉତ୍ତର ବଙ୍ଗୋପସାଗରରେ ହେବ ଘନୀଭୂତ | ଗତକାଲି ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ଚିଲିକା ନିକଟରେ ସ୍ଥଳଭାଗ ଅତିକ୍ରମ କରିବା ପରେ ଦୁର୍ବଳ ହୋଇ ଏକ ଓ୍ବେଲମାର୍କ ଲୋପ୍ରେସରରେ ପରିଣତ ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ଆଜି କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ | ଏହାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି | ଏହି ସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିଭଳି ୨୪ ତାରିଖରେ ବର୍ଷାର ପରିମାଣ କମିବ । ୨୫ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ପୁଣି ବର୍ଷାର ପରିମାଣ ବଢିବ । ବିଶେଷ କରି ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି । ସେପଟେ ଓ୍ବେଲମାର୍କ ଲୋପ୍ରେସରର ପ୍ରଭାବରେ ବର୍ଷା ସହ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗର ପବନ ବହିବା ସମ୍ଭାବନା ଥିବାରୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ନ ଯିବାକୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *