ନୂଆଦିଲ୍ଲୀ : ଚର୍ଚ୍ଚାରେ ଏବେ ପୁଣି ଭାରତୀୟ ଦଳର ଷ୍ଟାର କ୍ରିକେଟର ବିରାଟ କୋହଲି। ଏଥର ନିଜ ବ୍ୟକ୍ତିଗତ ଜୀବନ ନୁହେଁ ବରଂ କୋହଲି ଜଣେ କ୍ରିକେଟରଙ୍କୁ ସମାଲୋଚନା କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ଭାଇରଲ ହେବାରେ ଲାଗିଛି। ବାସ୍ତବରେ କୋହଲି ଡିପ୍ଫେକ୍ ଭିଡିଓର ଶିକାର ହୋଇଛନ୍ତି । ସୋସିଆଲ ମିଡିଆରେ କୋହଲିଙ୍କ ଏହି ଡିପ୍ଫେକ୍ ଭିଡିଓ ଭାଇରାଲ ହେବାରେ ଲାଗିଛି । କ୍ରିକେଟର ମାନଙ୍କର ଡିପ୍ଫେକ୍ ଭିଡିଓ ଭାଇରାଲ ହେବା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ସଚିନ୍ ତେନ୍ଦୁଲକରଙ୍କ ଡିପ୍ଫେକ୍ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ବିରାଟ କୋହଲି ପୂର୍ବରୁ ମଧ୍ୟ ଡିପ୍ଫେକ୍ ଭିଡିଓର ଶିକାର ହୋଇସାରିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ କୋହଲି ଯୁବ କ୍ରିକେଟର ଶୁଭମନ ଗିଲଙ୍କୁ ସମାଲୋଚନା କରୁଥିବା ଦେଖିବାକୁ ମିଳିଛି ।
ଭିଡିଓରେ ବିରାଟ କୋହଲି କହୁଛନ୍ତି ଯେ ଲୋକମାନେ ମୋ ପରେ ପରବର୍ତ୍ତୀ କୋହଲିଙ୍କୁ ନେଇ ବହୁତ ଆଲୋଚନା ପର୍ଯ୍ୟାଲୋଚନା କରୁଛନ୍ତି, କିନ୍ତୁ ସ୍ପଷ୍ଟ ଭାବରେ କହୁଛି ବିରାଟ କୋହଲି କେବଳ ଜଣେ ହିଁ ଅଛନ୍ତି । ମୁଁ ଗିଲଙ୍କୁ ଅତି ନିକଟରୁ ଦେଖିଛି, ସେ ଜଣେ ଦକ୍ଷ ଖେଳାଳି, ଏଥିରେ କୌଣସି ପ୍ରକାର ସନ୍ଦେହ ନାହିଁ । କିନ୍ତୁ ନିଜର ପ୍ରତିଭା ଦେଖାଇବା ଏବଂ ଜଣେ ଲିଜେଣ୍ଡ ହେବା ମଧ୍ୟରେ ଏକ ବଡ଼ ବ୍ୟବଧାନ ଅଛି । ମୁଁ ଖେଳରେ ସବୁଠୁ କଠିନ ବୋଲର ମାନଙ୍କୁ ସାମ୍ନା କରିଛି । ଏକ ଦଶନ୍ଧି ଧରି କ୍ରମାଗତ ଭାବେ ଏହା କରିଆସୁଛି ବୋଲି ସେ ଏହି ଭିଡିଓରେ କହୁଥିବାର ନଜର ଆସିଛନ୍ତି । ଦେଖିବାକୁ ଗଲେ ବିରାଟ କୋହଲି ଏବଂ ଶୁଭମନ ଗିଲଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଅଛି । କିନ୍ତୁ ଭାଇରାଲ ହେଉଥିବା ଏହି ଡିପ୍ଫେକ୍ ଭିଡିଓରେ କୋହଲିଙ୍କ ସ୍ୱର ଓ ଚେହେରାକୁ ଅନୁକରଣ କରିବା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସିର ସମ୍ପୂର୍ଣ ବ୍ୟବହାର କରାଯାଇଛି ।