ମସ୍କୋ, ୧୮/୦୮: ଥରିଲା ରୁଷ | ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ରୁଷ । ଶକ୍ତିଶାଳୀ ଭୁକମ୍ପରେ ଦୋହଲିଗଲା ବଡ ବଡ ଅଟ୍ଟାଳିକା | ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୦ ରେକର୍ଡ କରାଯାଇଛି । ଶନିବାର ଏବଂ ରବିବାର ମଧ୍ୟରାତ୍ରିରେ ଭାରତୀୟ ସମୟ ସକାଳ ୧୨.୪୦ ସମୟରେ କାମଚାଟ୍କା ଉପଦ୍ୱୀପର ପୂର୍ବ ଉପକୂଳ ନିକଟରେ ରିଚ୍ଟର ସ୍କେଲରେ ଏକ ବଡ଼ ଭୂକମ୍ପ ଘଟିଥିଲା। ରୁଷରେ ଥିବା ଶିବେଲୁଚ ଆଗ୍ନେୟଗିରି ବିସ୍ଫୋରଣ ହୋଇଛି । ଆଗ୍ନେୟଗିରିର ତୀବ୍ର ଏତେ ଜୋର ରହିଛି ଯେ ବହୁ ଉଚ୍ଚକୁ ଧୂଆଁ ଉଠିଥିବାର ଦେଖିବାକୁ ମିଳିଛି । ସମୁଦ୍ର ପତନଠାରୁ ଏହାର ଉଚ୍ଚତା ୮ କିଲୋମିଟର ରହିଥିଲା । ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ଖବର ମିଳିନଥିଲେ ମଧ୍ୟ କୋଠାଗୁଡ଼ିକର ଯାଞ୍ଚ କରାଯାଉଛି ।
ସୂଚାନୁଯାୟୀ, ଆଗ୍ନେୟଗିରିରୁ ଲାଭା ବାହାରିବା ସହ ମାଇଲ ମାଇଲ ଉପରକୁ ଉଠୁଛି ପାଉଁଶ । ୫ ମାଇଲ୍ ବା ୮ କିଲୋମିଟର ଉଚ୍ଚକୁ ଉଠୁଛି ପାଉଁଶ । ପୂର୍ବ ରୁଷିଆର ଉପକୂଳବର୍ତ୍ତୀ ସହର ପେଟ୍ରୋପାଭାଲୋସ୍କ ସହର ଠାରୁ ୨୮୦ ମାଇଲ ଦୂରରେ ଏହି ଅଗ୍ନି ଉଦଗୀରଣ ହୋଇଛି । ଭୂମିକମ୍ପର ପ୍ରଭାବରେ ସ୍ଥାନୀୟ ଲୋକେ ଘର ଛାଡ଼ି ଚାଲିଯାଇଛନ୍ତି । ପେଟ୍ରୋପାଭାଲୋସ୍କ ଠାରୁ ପ୍ରାୟ ୫୫ ମାଇଲ ଦୂରରେ ଭୂଗର୍ଭର ୩୦ ମାଇଲ ତଳେ ଭୂକମ୍ପର କେନ୍ଦ୍ର ସ୍ଥଳ ଚିହ୍ନଟ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ରବିବାର ମଧ୍ୟରାତ୍ରିରେ କାମଚାଟକା ଉପରେ ହୋଇଥିବା ଭୂକମ୍ପ କାମଚାଟ୍କା ଉପଦ୍ୱୀପର ପୂର୍ବ ଉପକୂଳ ନିକଟ ୬୫ କିଲୋମିଟର ଗଭୀରରେ ଅବସ୍ଥିତ। ସୂଚନା ଅନୁଯାୟୀ, ଭୂମିକମ୍ପ ଯୋଗୁଁ କାହାର ବିଶେଷ କ୍ଷୟ କ୍ଷତି ହୋଇନାହିଁ। ଏହି ସମୟରେ ସଂପୃକ୍ତ କର୍ତ୍ତୃପକ୍ଷ ରୁଷ ଉପକୂଳବର୍ତ୍ତୀ କାମଚାଟ୍କା ଉପଦ୍ୱୀପରେ ସୁନାମି ଚେତାବନୀ ଦେଇଛନ୍ତି।