ଆଳୁ ଗାଡ଼ି ଛାଡ଼ୁନି ପଶ୍ଚିମବଙ୍ଗ

ବଜାରରେ ବିଭିନ୍ନ ପରିବାର ଦର ଆକାଶ ଛୁଆଁ ଥିବାବେଳେ ଏବେ ଆଳୁର ପାଳି | ହାଣ୍ଡିଶାଳକୁ ଏବେ ପରିବା ର ମହଙ୍ଗା ମାଡ | ଫଳରେ ମହଙ୍ଗା ମାଡ଼ରେ ସନ୍ତୁଳିତ ହେଉଛନ୍ତି ରାଜ୍ୟବାସୀ | ଗତ କିଛି ଦିନ ଧରି ପରିବା ଦର କଲବଲ କରୁଥିବା ବେଳେ ଏବେ ରାଜ୍ୟବାସୀଙ୍କୁ ଟେନସନ୍‌ ଦେଲାଣି ଆଳୁ। ଆଳୁ ଦରରେ ଏବେ ଲାଗିଛି ନିଆଁ । ହୁହୁ ହୋଇ ବଢ଼ି ଚାଲିଛି ଆଳୁର ଦର। ବର୍ତ୍ତମାନ ଆଳୁ ଦର ହାଫ ସେଞ୍ଚରୀ ପାର୍‌ କରି ସାରିଲାଣି। ବର୍ତ୍ତମାନ ରାଜ୍ୟରେ ଆଳୁ ଦର ଉପରମୁହାଁ ଥିବା ବେଳେ ଓଡ଼ିଶାକୁ ଆଉ ଆଳୁ ଗାଡ଼ି ଛାଡ଼ୁନି ପଶ୍ଚିମବଙ୍ଗ । ଫଳରେ ସୀମାରେ ଅଟକି ରହିଛି ଶହ ଶହ ଆଳୁ ଗାଡ଼ି । ରାଜ୍ୟରେ ଏପରି ସଙ୍ଗୀନ ସ୍ଥିତିର ମୁକାବିଲା କରିବା ନିମନ୍ତେ ଉତ୍ତରପ୍ରଦେଶରୁ ଆଳୁ ମଗାଯିବ ବୋଲି ଆଜି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଗତ ୫ ଦିନ ଧରି କଟକର ଛତ୍ର ବଜାରକୁ ଆସି ପହଞ୍ଚିନି ଆଳୁ ଟ୍ରକ। ପ୍ରତିଦିନ କଟକଛତ୍ରବଜାରରୁ ୮ରୁ ୯ ଟ୍ରକ୍‌ ଆଳୁ ଆସିଥାଏ। ଆଜି ମାତ୍ର ଗୋଟିଏ ଟ୍ରକ୍‌ ଆସିଛି। ଫଳରେ ଆଳୁ ନେବାକୁ ଏବେ ଛତ୍ରବଜାରରେ ବ୍ୟବସାୟୀଙ୍କ ମଧ୍ୟରେ ପ୍ରବଳ ଭିଡ଼ ସାଙ୍ଗକୁ ଛକାପଞ୍ଝା ଦେଖିବାକୁ ମିଳିଥିଲା। ଛତ୍ରବଜାରରେ ଆଳୁ କିଲୋ ପିଛା ୫୦ ଟଙ୍କା ଥିବା ବେଳେ ଖୁଚୁରା ମାର୍କେଟରେ ଏବେ ୬୦ ଟଙ୍କାରେ ଆଳୁ ବିକ୍ରି ହେଉଥିବା କହିଛନ୍ତି ବ୍ୟବସାୟୀ।

ରାଜ୍ୟରେ ଆଳୁର ଏଭଳି ଅହେତୁକ ଦର ବୃଦ୍ଧି ପରେ ଆଜି ଭୁବନେଶ୍ୱର ସ୍ଥିତ ଆଇଗିଣିଆ ଆଳୁ ଗୋଦାମକୁ ଯାଇ ସ୍ଥିତି ଯାଞ୍ଚ୍ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସ୍ଥିତି ଯାଞ୍ଚ କରିବା ପରେ ମନ୍ତ୍ରୀ କହିଛନ୍ତି ଯେ , ଏବେ ଯେତିକି ପରିମାଣର ଆଳୁ ମହଜୁଦ ଅଛି, ତାହା ସାତ ଦିନ ଯାଏଁ ରାଜ୍ୟରେ ଆଳୁ ଚାହିଦାକୁ ପୂରଣ କରିପାରିବ। ଯଦି ଆବଶ୍ୟକ ତେବେ ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ କରାଯିବ ।ସେପଟେ ଓଡ଼ିଶାକୁ ରପ୍ତାନୀ କରିବାକୁ ବାରଣ କରିଛନ୍ତି ପଶ୍ଚିବଙ୍ଗ ସରକାର। ଫଳରେ ଆଳୁ ଟ୍ରକକୁ ସୀମା ପାର କରାଇ ଦେଉନି ପଶ୍ଚିମବଙ୍ଗ ପୁଲିସ। ପଶ୍ଚିମଙ୍ଗରେ ଏଥର ଆଳୁ ଉତ୍ପାଦନ ଆବଶ୍ୟକ ମୁତାବକ ହୋଇ ନ ଥିବା ବେଳେ ନିଜ ଆବଶ୍ୟକତା ମେଣ୍ଟାଇବାକୁ ଆଳୁ ବାହାରକୁ ଛାଡ଼ୁ ନାହାନ୍ତି ସେଠାକାର ସରକାର। ଏଥିଯୋଗୁଁ ଶତାଧିକ ଟ୍ରକ ଏବେ ଓଡ଼ିଶା ପଶ୍ଚିମବଙ୍ଗ ସୀମା ବାଲେଶ୍ୱର ଜିଲ୍ଲା ଲକ୍ଷ୍ମଣନାଥ ଟୋଲ୍ ଗେଟ୍‌ରେ ଅଟକି ରହିଛି। ପଶ୍ଚିମବଙ୍ଗ ପଟେ ସବୁ ଟ୍ରକ୍ ଗତକାଲି ରାତିରୁ ଛିଡ଼ା ହୋଇଛି। ଓଡ଼ିଶା ଆସିବାକୁ ଅନୁମତି ମିଳୁ ନ ଥିବାରୁ ସେଠାରେ ଗାଡ଼ି ସେମିତି ଅଟକି ରହିଛି। ଏହାସହ ପଶ୍ଚିମବଙ୍ଗରେ ଆଳୁ ବ୍ୟବସାୟୀ ବିଭିନ୍ନ ଦାବି ନେଇ ଧର୍ମଘଟକୁ ମଧ୍ୟ ଓହ୍ଲାଇଛନ୍ତି।

Leave a Reply

Your email address will not be published. Required fields are marked *