ଲାଞ୍ଜ ହଜିଗଲା କେବେ ଓ କିପରି ?

ଭୁବନେଶ୍ୱର ୨୨/୦୭ : ଅନେକ ଛାତ୍ରଛାତ୍ରୀ ମାନେ ପିଲାବେଳେ ଇତିହାସ ବହିରେ ପଢ଼ିଥିବେ ସିମ୍ପାଜି ରୁ ମନୁଷ୍ୟ ହୋଇଛେ ବୋଲି, କିନ୍ତୁ ଅନେକ ସମୟରେ ମନରେ ବହୁତ ଥର ଉଙ୍କି ମରିଥାଏ ଏହା କେବେ ଓ କିପରି ସମ୍ଭବ ହୋଇପାରିଛି ବୋଲି l
କିନ୍ତୁ ଦର୍ଶକ ବନ୍ଧୁ ତା’ଠାରୁ ବେଶୀ ଗୁରୁତ୍ୱ ପୂର୍ଣ୍ଣ କଥା ହେଲା ବେଳେ ଆମେ ଭାବି ଥାଉ କି ଆମ ଲାଞ୍ଜ କୁଆଡେ ଗଲା ଓ କିପରି ଏହା ସମ୍ଭବ ହେଲା…
ମାଙ୍କଡ଼ ହେଲା ଚତୁଷ୍ପଦ ପ୍ରାଣୀ। ଅଧିକାଂଶ ସମୟରେ ଏହା ବୃକ୍ଷରେ ବାସ କରେ। ତାକୁ ଡାଳରୁ ଡାଳ ଡେଇଁ ଯା’ଆସ କରିବାକୁ ପଡ଼େ। ଏ କାର୍ଯ୍ୟରେ ଲାଞ୍ଜ ତାକୁ ସହାୟକ ହୋଇଥାଏ। ତେବେ ପ୍ରାଗ୍‌-ମଣିଷ ସୃଷ୍ଟି ହେଲା ବେଳକୁ ଆଫ୍ରିକାର ଅନେକ ଅଞ୍ଚଳ ଶୁଷ୍କ ହେବାକୁ ଲାଗିଲା। ଏହାର ଗଛଗୁଡ଼ିକ ଅପେକ୍ଷାକୃତ ସାନ ହେଲା। ପ୍ରାଗ୍‌-ମଣିଷକୁ ଏଥିରୁ ଫଳ ସଂଗ୍ରହ କରିବାକୁ ଭୂମି ଉପରେ ଦୁଇଗୋଡ଼ରେ ଠିଆ ହେବାକୁ ପଡ଼ିଲା। ଧୀରେ ଧୀରେ ସେ ଏମିତି ଚାଲିବା ମଧ୍ୟ ଦେଖିଲେ। ଏଣୁ ତା’ର ଲାଞ୍ଜର ଆବଶ୍ୟକତା ପଡ଼ିଲା ନାହିଁ। ତା’ପରେ ଆଜକୁ ପ୍ରାୟ ୬.୫ ନିୟୁତ ବର୍ଷ ପୂର୍ବେ ଆସିଲା ମଣିଷ। ପ୍ରାଗ୍‌-ମଣିଷ ଚାଲିବାରେ ଉଭୟ ଚାରି ଗୋଡ଼ ଏବଂ ଦୁଇ ଗୋଡ଼ ବ୍ୟବହାର କରୁଥିଲା। ହେଲେ ମଣିଷ ଭୂମି ଉପରେ ଦୁଇ ଗୋଡ଼ରେ ସିଧା ଠିଆ ହୋଇଥିଲା। ଏହା ତାକୁ ପ୍ରାଗ୍‌-ମଣିଷଠାରୁ ଭିନ୍ନ କରିବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଲା। ତା’ପରେ ସେ ମଧ୍ୟ ହାତରେ କାମ କରିବାକୁ ଲାଗିଲା। ଏଣୁ ଲାଞ୍ଜ ସମ୍ପୂର୍ଣ୍ଣ ଅଦରକାରୀ ହୋଇପଡ଼ିଲା। ସେଥିପାଇଁ ବିବର୍ତ୍ତନୀୟ ନିର୍ବାଚନ ତାକୁ ଲୋପ କରିଦେଲା। ତଥାପି ଗର୍ଭାଶୟରେ ଥିବା ବେଳେ ମଣିଷର ଭ୍ରୂଣଠାରେ ଲାଞ୍ଜଟିଏ ରହୁଛି। ଜନ୍ମ ହେବା ବେଳକୁ ତାହା ଉଭେଇ ଯାଉଛି ସିନା, ହେଲେ ମେରୁଦଣ୍ଡର ଶେଷ ଭାଗରେ ରହିଯାଉଛି ଲାଞ୍ଜ ହାଡ଼ ସ୍ବରୂପ କିଛି ଅଂଶ।
ମାଙ୍କଡ଼ ବା ପ୍ରାକ୍‌-ମଣିଷ (Ape) ଉଭୟ ହେଲେ ମଣିଷର ପୂର୍ବପୁରୁଷ। ଅନ୍ୟ ଭାଷାରେ କହିବାକୁ ହେଲେ ସେମାନେ ତା’ ବିବର୍ତ୍ତନୀୟ ପରିବାର ବୃକ୍ଷର ଅଂଶବିଶେଷ। ଏହି ତିନି ଶ୍ରେଣୀର ଜୀବଙ୍କ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଭେଦତା ହେଲା ଯେ ମାଙ୍କଡ଼ର ଲାଞ୍ଜ ଥିବା ବେଳେ ଅନ୍ୟ ଦୁଇଟିର ଲାଞ୍ଜ ନାହିଁ। ସମ୍ଭବତଃ ଆଜକୁ ପ୍ରାୟ ୨୫ ନିୟୁତ ବର୍ଷ ପୂର୍ବେ ଆମ ପୂର୍ବପୁରୁଷ, ଅର୍ଥାତ୍‌ ପ୍ରାଗ୍‌-ମଣିଷ ଏହି ଅଙ୍ଗଟି ହରାଇଥିଲେ। ବିବର୍ତ୍ତନ ହେତୁ ଏପରି ଘଟିଲା ବୋଲି ବୈଜ୍ଞାନିକମାନଙ୍କର ମତ ପ୍ରଚଳିତ ହୋଇ ଆସିଛି ଡାର୍‌ଉଇନ୍‌ଙ୍କ ଯୁଗରୁ।
ପ୍ରାଗ୍‌-ମଣିଷ ଏବଂ ମଣିଷଠାରୁ ଲାଞ୍ଜ ଉଭେଇ ଯିବାର କାରଣ ମୂଳରେ ଜିନୀୟ ଧ୍ରୁବୀକରଣ ଥିବା ମତ ଦେଉଛନ୍ତି ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ଇଟାନି ୟାନାଇ ଏବଂ ମାସାଚ୍ୟୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜିର ବୋ’ ସ୍କିଆ। ଚଳିତବର୍ଷ ଫେବୃଆରୀରେ ପ୍ରକାଶିତ ଏକ ବିବରଣୀରେ ମାଙ୍କଡ଼ର ଲାଞ୍ଜ ଥିଲା ବେଳେ ପ୍ରାଗ୍‌-ମଣିଷ (ଏପ୍‌) ଏବଂ ମଣିଷର କାହିଁକି ତାହା ରହିଲା ନାହିଁ ସେ ବିଷୟରେ ସ୍ଲିଆ ସୂଚନା ଦେଇଛନ୍ତି। ଏକ ପରୀକ୍ଷାରେ ସେ
ଏବଂ ତାଙ୍କର ସହଯୋଗୀମାନେ ଏହି ତିନିଶ୍ରେଣୀୟ ଜୀବଙ୍କ ଜିନୀୟ ଅନୁକ୍ରମମାନ ତୁଳନା କରିବାରୁ ପ୍ରାଗ୍‌-ମଣିଷ ଓ ମଣିଷଠାରେ ଗୋଟିଏ ଅଧିକ ଅନୁକ୍ରମ ଥିବାର ଚିହ୍ନଟ କରିଛନ୍ତି। ଏହାକୁ ‘ଇନ୍‌ସେରସନ’ (Insertion) ବୋଲି କୁହାଯାଇଛି। ଲାଞ୍ଜ ସୃଷ୍ଟି ପାଇଁ ଦାୟୀ ହୋଇଥିବା ‘TXBT’ ନାମକ ଜିନ୍‌ରେ ଏହା ଥିବାର ଦେଖାଯାଉଛି, ଯାହାକି ମାଙ୍କଡ଼ଙ୍କଠାରେ ନାହିଁ। ବୋଧହୁଏ ଏହାହିଁ ପ୍ରାଗ୍‌-ମଣିଷ ଏବଂ ମଣିଷମାନଙ୍କଠାରେ ଲାଞ୍ଜ ସୃଷ୍ଟି ହେବାକୁ ଦିଏ ନାହିଁ ବୋଲି ସେମାନେ ମନେକରନ୍ତି। ଏ ପ୍ରକାର ଜିନୀୟ ଧ୍ରୁବୀକରଣ ପ୍ରକ୍ରିୟାକୁ ବିବର୍ତ୍ତନର ପ୍ରଭାବ ତ୍ୱରାନ୍ବିତ କରିଥିବାର ଅନୁମାନ କରାଯାଏ। ତାଙ୍କ ପରୀକ୍ଷାରେ ଏହି ଫଳାଫଳକୁ ନିଶ୍ଚିତ କରିବା ଲାଗି ସ୍କିଆ ଏବଂ ସହଯୋଗୀମାନେ କିଛି ଜିନ୍‌ ପରିବର୍ତ୍ତିତ ମୂଷାମାନଙ୍କଠାରେ ‘ଇନ୍‌ସେରସନ୍‌’ ପ୍ରତିରୋପଣ କରିଥିଲେ। ଏହାଦ୍ୱାରା ସେମାନଙ୍କଠାରେ ଲାଞ୍ଜ ସୃଷ୍ଟି ହେବା ପ୍ରଭାବିତ ହେଲା। ତହିଁରୁ କେତେକ ବିନା ଲାଞ୍ଜରେ ଜନ୍ମ ଗ୍ରହଣ କଲେ।

Leave a Reply

Your email address will not be published. Required fields are marked *