ଭବିଷ୍ୟତରେ ଖାଲି ହେଇଯିବ କି ବିଜେଡି ବସା ?

ରାଜ୍ୟରେ ଏବେ ସତ୍ତା ହରାଇଛି ବିଜେଡି । ଦୀର୍ଘ ୨୫ ବର୍ଷ ପରେ ବିଜେଡି ଚଳିତ ନିର୍ବାଚନରେ ପରାଜୟ ର ସ୍ୱାଦ ଚାଖିଛି। ଜଣକ ପରେ ଜଣେ ଏବେ ଦଳ ବିରୋଧରେ ସ୍ୱର ଉଠାଇବା ସହିତ ଦଳରୁ ଇସ୍ତଫା ମଧ୍ୟ ଦେଉଛନ୍ତି। ବୁଧବାର ରାଜ୍ୟସଭା ସାଂସଦ ପଦ ଏବଂ ବିଜେଡିରୁ ଇସ୍ତଫା ଦେଇଥିବା ମମତା ମହାନ୍ତ ଆସି ବିଜେପିରେ ମିଶିବା ପରେ ଆଜି କିଛି ଏପରି ଢଙ୍ଗରେ ବିଜେଡିକୁ କଟାକ୍ଷ କରି କହିଛନ୍ତି ବିଜେପି ନେତା ଅରବିନ୍ଦ ଢାଲି। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ବିଜେଡିର ବସା ଆଗକୁ ଖାଲି ହୋଇଯିବ। ଭବିଷ୍ୟତରେ ଆଉ ଓଡ଼ିଶାରେ ବିଜେଡି ରହିବନି,ଏହାକୁ ଚାହିଁଲେ ବି ଆଉ କେହି ରଖିପାରିବେନି। ବର୍ତ୍ତମାନ ଦଳରେ ଥିବା ନେତାଙ୍କ ମଧ୍ୟରେ ଯୁଦ୍ଧ ଚାଲିବ ଏବଂ ଆଗକୁ ଯାଇ ଦଳ ସମ୍ପୂର୍ଣ ଭାବରେ ଖଣ୍ତବିଖଣ୍ଡ ହୋଇଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ,ନିର୍ବାଚନ ପରାଜୟ ପରେ ଏବେ ଦଳରେ ସମସ୍ତେ ଅସନ୍ତୁଷ୍ଟ ଅଛନ୍ତି। ଦଳ ଭିତରେ ଆଉ କାହାର ବି ସ୍ୱାଧୀନତା ନାହିଁ। ଏହାଛଡା ସେ କହିଛନ୍ତି ମୁଁ ଯେତେବେଳେ ବିଜେଡିରେ ଥିଲି ଜଣେ ଅଦରକାରୀ ଭାବରେ ଗୋଟିଏ କୋଣରେ କୋଣଠେସା ହୋଇ ରହିଥିଲି। ସେହି ସମୟରେ ପାଣ୍ଡିଆନ ହିଁ ଦଳର ସର୍ବେସର୍ବା ଥିଲେ। ପାଣ୍ତିଆନଙ୍କ ବିନା ନିର୍ଦ୍ଦେଶରେ ନବୀନ ଙ୍କୁ ଭେଟିବାକୁ ସମ୍ଭବ ହେଉନଥିଲା । ଅରବିନ୍ଦ ଢାଲି କହିଛନ୍ତି, BJD ୨୫ ବର୍ଷ ଶାସନରେ ଯାହା କରି ପାରି ନଥିଲା, ମୋହନ ସରକାର ତାକୁ ଆଜି କରି ଦେଖାଉଛନ୍ତି । ମୁଖ୍ୟମନ୍ତ୍ରୀ ନିର୍ବାଚନ ପୂର୍ବରୁ ଦଳ ଯାହା ପ୍ରତିଶ୍ରୁତି ଦେଇଥିଲା ତାହାକୁ ଏବେ ପୂରଣ କରୁଛି । ଦେଶରେ ଜାତୀୟ ଦଳ କେବେ ବି ବିଲୟ ହୁଏନି। ବରଂ ଆଞ୍ଚଳିକ ଦଳର ହିଁ ବିଲୟ ହୁଏ। ଆଞ୍ଚଳିକ ଦଳକୁ ଯିଏ ଗଢ଼ିଥାଏ, ସେ ଥିଲା ପର୍ଯ୍ୟନ୍ତ ଦଳ ହିଁ ଚାଲିଥାଏ। ସେ ଅସୁସ୍ଥ ହେଲେ ବା ଆଉ କିଛି ଅସୁବିଧା ଦଳ ରହେ ନାହିଁ ବୋଲି ଢାଲି କହିଛନ୍ତି।

Leave a Reply

Your email address will not be published. Required fields are marked *