ବିଜେପିକୁ ନେଇ ଆସିଲା ଏକ ବଡ଼ ଖବର । ଆସନ୍ତା ମାସ ଅଗଷ୍ଟ ଶେଷ ସୁଦ୍ଧା ବିଜେପି ଦଳକୁ ମିଳିପାରେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ। ବର୍ତ୍ତମାନ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଜେପି ନଡ୍ଡାଙ୍କ କାର୍ୟ୍ୟକାଳ ଅଗଷ୍ଟ ମାସରେ ଶେଷ ହେବାକୁ ଯାଉଛି | ତାଙ୍କ କାର୍ୟ୍ୟକାଳ ଶେଷ ହେବା ପୂର୍ବରୁ ନୂଆ ଚେହେରାଙ୍କ ଉପରେ ଦଳ ମୋହର ମାରିପାରେ ବୋଲି ବିଜେପି ଶିବିରରୁ ଏବେ ଖବର ମିଳୁଛି । ଜୁନ ମାସରୁ ନଡ୍ଡାଙ୍କ କାର୍ଯ୍ୟକାଳ ସରିଥିଲେ ମଧ୍ୟ ନୂଆ ଅଧ୍ୟକ୍ଷ ଯେ ପର୍ଯ୍ୟନ୍ତ ନ ହୋଇଛନ୍ତି ସେପର୍ଯ୍ୟନ୍ତ ସେ ଦାୟିତ୍ବ ସମ୍ଭାଳିବେ ବୋଲି ଦଳ ପକ୍ଷରୁ କୁହାଯାଇଥିଲା। ତେବେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୌଡ଼ରେ ଏବେ ସବୁଠାରୁ ଆଗରେ ରହିଛନ୍ତି ସ୍ମୃତି ଇରାନୀ। କିନ୍ତୁ ଆଜି ପର୍ୟ୍ୟନ୍ତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ କୌଣସି ମହିଳାଙ୍କୁ ଦଳ ସୁଯୋଗ ଦେଇନାହିଁ । ଅନ୍ୟପଟେ ଦେଖିବାକୁ ଗଲେ ସ୍ମୃତି ଇରାନୀ ହେଉଛନ୍ତି ଦଳର ସବୁଠାରୁ ଜଣେ ଫାୟାରବ୍ରାଣ୍ଡ ଚେହେରା ହୋଇ ମଧ୍ୟ ଚଳିତ ନିର୍ବାଚନରେ ସେ ଆମେଠି ଆସନରୁ ହାରି ଯାଇଛନ୍ତି । ସେପଟେ ଦଳ ନାରୀ ସଶକ୍ତିକରଣ କଥା କହୁଥିବାବାରୁ ସ୍ମୃତିଙ୍କୁ ନେଇ ବଡ଼ ନିଷ୍ପତି ଘୋଷଣା ମଧ୍ୟ ହୋଇପାରେ । ବୁଧବାର ଗୃହମନ୍ତ୍ରୀ ଅମିତ ଶାହା, ମହାସଚିବ ବିଏସ ସନ୍ତୋଷଙ୍କ ସହ ନଡ୍ଡା ଦୁଇ ଘଣ୍ଟା ଧରି ବୈଠକ କରିବା ପରେ ଦଳ ଖୁବଶୀଘ୍ର ରାଷ୍ଟ୍ରୀୟ ଅଧ୍ୟକ୍ଷ ବାଛୁଥିବା ଖବର ଏବେ ଚର୍ଚ୍ଚା ହେଉଛି । ମୋଦୀଙ୍କ ତୃତୀୟ କାଳରେ ନଡ୍ଡାଙ୍କୁ ଏଥର ସ୍ବାସ୍ଥ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ଦିଆଯାଇଛି। ସ୍ବାସ୍ଥ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭଳି ଦୁଇ ଦୁଇଟା ଦାୟିତ୍ବ ତୁଲାଉଥିବାରୁ ନଡ୍ଡାଙ୍କ ଉପରେ ଅଧିକ ଚାପ ପଡୁଛି | ସେଥିପାଇଁ ଦଳ ଖୁବ୍ ଶୀଘ୍ର ନୂଆ ଅଧ୍ୟକ୍ଷ ଚୟନ କରିବାକୁ ଚିନ୍ତା କରୁଛି।