କମିବାରେ ଲାଗିଛି ପ୍ରଦୀପଙ୍କ ପତିଆରା

କମିବାରେ ଲାଗିଛି ପ୍ରଦୀପଙ୍କ ପତିଆରା

ଫୋକସ ପ୍ଲସ (ନବରଙ୍ଗପୁର) ୦୭/୦୭/୨୦୨୨: ନବରଙ୍ଗପୁର ରାଜନୀତିରେ ଏବେ ପ୍ରଦୀପଙ୍କ ପତିଆରାକୁ ନେଇ ଚର୍ଚା ଜୋର ଧରିଛି । ଯେଉଁ ଆଶା ନେଇ ପ୍ରଦୀପ କଂଗ୍ରେସ ଛାଡିଥିଲେ ସେ ଆଶାଠାରୁ ବହୁଦୂରରେ ଏବେ ପ୍ରଦୀପ । ବିଜେଡିରେ ମିଶିବା ପରେ ତାଙ୍କ ପତିଆରା ବଢ଼ିବା ଅପେକ୍ଷା କମ ହୋଇଥିବା ଏବେ ଚର୍ଚା ହେଉଛି । ଦଳ ଭିତରେ ନିଜ ନିଜ ପତିଆରା ଜାହିର କରିବା ଉଦ୍ୟମ ଆରମ୍ଭ କରି ଶେଷରେ ଚୁପ ହୋଇ ରହିଛନ୍ତି ହେଭିଓ୍ବେଟ ନେତା ପ୍ରଦୀପ ମାଝୀ ।
ପ୍ରଦୀପ ମାଝୀ ୨୦୨୧ ମସିହା ଅକ୍ଟୋବର ୨୨ ତାରିଖରେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ । କଂଗ୍ରେସରୁ ଇସ୍ତଫା ଦେବା ପରେ ସେ ନବରଙ୍ଗପୁର ସହରର ସର୍କିଟ୍ ହାଉସ ସାମ୍ନାରେ ଥିବା ପଡ଼ିଆରେ ଆୟୋଜିତ ମିଶ୍ରଣ ପର୍ବରେ ପ୍ରଣବ ପ୍ରକାଶ ଦାସ, ତୁଷାରକାନ୍ତି ବେହେରା, ଚନ୍ଦ୍ର ସାରଥୀ ବେହେରା ଓ ରମେଶ ଚନ୍ଦ୍ର ମାଝି ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଥିଲେ ।
ସେ ସମୟରେ ସେ କହିଥିଲେ ତାଙ୍କ ଜିଲ୍ଲାବାସୀଙ୍କ ପାଇଁ ସେ ଅନେକ କିଛି କରିବାକୁ ଚାହାଁନ୍ତି । କଂଗ୍ରେସରେ ରହିଲେ ସେ ସେବା କରିପାରୁନାହାଁନ୍ତି । ବିଜେଡିରେ ମିଶିବା ପରେ ସେ ଅନେକ କିଛି ତାଙ୍କ ଲୋକଙ୍କ ପାଇଁ କରିପାରିବେ । ଏଠାରେ କୁହାଯାଇପାରେ ଯେ ନିଜ କ୍ଷମତାକୁ ବୃଦ୍ଧି କରିବା ପାଇଁ ସେ ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ ।
ବିଜେଡି ରେ ନିଜ ପତିଆରା ବୃଦ୍ଧି ପାଇଁ ପ୍ରଦୀପ ଅନେକ ଚେଷ୍ଟା କରି ବିଫଳ ହୋଇଥିବା ଏବେ ଧାରଣା ସୃଷ୍ଟି ହୋଇଛି । ବିଜେଡି ରେ ନିଜ ପତିଆରା ଜାହିର କରିବା ପାଇଁ ପ୍ରଦୀପ ନିଜ ଅନୁଗତଙ୍କୁ ନେଇ ଉଦ୍ୟମ ଆରମ୍ଭ କରିଥିଲେ । କିନ୍ତୁ ଏବେ ଶୁଣିବାକୁ ମିଳୁଛି ପ୍ରଦୀପଙ୍କର ଏହି ଆଶା ଆଶାରେ ହିଁ ରହିଯାଇଛି ।
ବିଜେଡି ରେ ସାମିଲ ହେବା ପରେ ଦଳରେ ନିଜ ପତିଆରା ବୃଦ୍ଧି ନେଇ ନିର୍ବାଚନ ବେଳେ ଅନେକ କସରତ କରିଥିଲେ ପ୍ରଦୀପ । କାରଣ ହେଉଛି ତାଙ୍କ ସମ୍ମୁଖରେ ଅଛନ୍ତି ନବରଙ୍ଗପୁର ବିଜେଡିର ଏକ ଅପ୍ରତିଦ୍ବନ୍ଦି ନେତା ପାଲଟି ଯାଇଥିବା ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ର ସାଂସଦ ନବରଙ୍ଗପୁର ବିଜେଡି ସଭାପତି ରମେଶ ମାଝୀ । କୁହାଯାଉଛି ରମେଶ ହିଁ ପ୍ରଦୀପଙ୍କୁ ବାଟ ଛାଡୁନାହାଁନ୍ତି । ଆଉ ରମେଶଙ୍କ ଆଗରେ ପ୍ରଦୀପଙ୍କ ପାଓ୍ବାର କାମ କରୁନାହିଁ ।
ଏକଦା ଦୁଇ ମାଝି ପରସ୍ପର ବିରୋଧରେ ନିର୍ବାଚନ ଲଢ଼ିଥିବା ବେଳେ ଏବେ ପତିଆରା ପାଇଁ ଲଢ଼େଇ ମଧ୍ୟ କମିନାହିଁ । ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲା ବିଜେଡି ସଭାପତି ରହିଛନ୍ତି ରମେଶ ମାଝୀ । ଅନ୍ୟପଟେ ପ୍ରଦୀପଙ୍କୁ ବିଜେଡି ବରିଷ୍ଠ ସାଧାରଣ ସମ୍ପାଦକ ପଦବି ଦେଇ ମଇଦାନକୁ ଓହ୍ଲାଇଛି । ଏପରିକି ଦୁହିଁଙ୍କୁ ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲା ପାଇଁ ଦାୟିତ୍ବ ଦିଆଯାଇଛି । କିନ୍ତୁ ସାଧାରଣରେ ଏହି ଚର୍ଚା ଯେ ସେଦିନର ପ୍ରଦୀପଙ୍କ ପ୍ରଭାବଠାରୁ ଏବେର ପ୍ରଦୀପଙ୍କ ପ୍ରଭାବ ବହୁତ ହ୍ରାସ ପାଇଛି ।
ପ୍ରଦୀପ ମାଝୀଙ୍କ ବିଷୟରେ ଜାଣିବେକୁ ହେଲେ ତାଙ୍କ ପିତା ଭଗବାନ ମାଝୀଙ୍କ ବିଷୟରେ ଚର୍ଚା ହୁଏ । ଦିନେ ନବରଙ୍ଗପୁର ଜିଲ୍ଲାର ଜଣେ ଟାଣୁଆ ନେତା ଥିଲେ ପ୍ରଦୀପଙ୍କ ବାପା ନାମ ଭଗବାନ ମାଝୀ । ଯାହା କଥା ଶୁଣୁଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ଏପରିକି ଭଗବାନ ମାଝୀଙ୍କୁ ରାଜ୍ୟ ସଭା ପଠାଇଥିଲେ ବିଜୁ ପଟ୍ଟନାୟକ ।
ପ୍ରଦୀପ ମାଝୀଙ୍କ ରାଜନୀତି କ୍ୟାରିୟରକୁ ଦେଖିଲେ ତାଙ୍କର ପତିଆରା ମୂଳରୁ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲା ପରିଷଦ ସଭ୍ୟ ଭାବରେ ପ୍ରଥମେ ନିର୍ବାଚିତ ହୋଇ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ପ୍ରଦୀପ । ଏପରିକି ସେ ରାହୁଳ ଗାନ୍ଧୀଙ୍କ ଅତି ନିକଟର ହୋଇପାରିଥିଲେ ଅଳ୍ପଦିନ ଭିତରେ । ଏବଂ ପ୍ରଥମ ଓଡ଼ିଆ ଭାବରେ ଭାରତୀୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ ମଧ୍ୟ ହୋଇଥିଲେ । ମନମୋହନ ସିଂହଙ୍କ ୨ୟ ସରକାରରେ ସେ ଓଡ଼ିଶା ରାଜ୍ୟ କଂଗ୍ରେସର ସଭାପତି ଥିବା ସତ୍ତ୍ୱେ ଲୋକ ସଭାରେ ତାଙ୍କ ଉପସ୍ଥାନ ୭୫ ପ୍ରତିଶତରୁ ଅଧିକ ଥିଲା ଏବଂ ପ୍ରଥମ ଦୁଇ ବର୍ଷ ମଧ୍ୟରେ ସେ ସଂସଦରେ ୫୦୧ ଥର ପ୍ରଶ୍ନ ପଚାରି ଜାତୀୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିରୁ ଜଣାପଡେ ପ୍ରଦୀପଙ୍କ ପତିଆରା କଂଗ୍ରେସ ସମୟରେ କେତେ ଥିଲା ।
ଏପରିକି ୨୦୦୭ ମସିହାରେ ହୋଇଥିବା ପଞ୍ଚାୟତ ସ୍ତରୀୟ ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଜିଲ୍ଲା ପରିଷଦ ପଦ ପାଇଁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହେବା ପରେ ୩୨ ବର୍ଷ ବୟସରେ ସେ ନବରଙ୍ଗପୁର ଜିଲ୍ଲାର ଜିଲ୍ଲା ପରିଷଦ ସଭ୍ୟଙ୍କ ସଭାପତି ଭାବରେ ମଧ୍ୟ ନିର୍ବାଚିତ ହୋଇ ତାଙ୍କର ରାଜନୈତିକ ଯାତ୍ରାକୁ ସଫଳ କରିଥିଲେ ।
,ଦିନକୁ ଦିନ ରାଜନୀତିର ସିଡି ଚଢ଼ି ଚାଲିଥିଲେ ପ୍ରଦୀପ । ୨୦୦୮ ମସିହାରେ ସେ ଅଖିଳ ଭାରତୀୟ କଂଗ୍ରେସ କମିଟିର ଉପାଧକ୍ଷ ରାହୁଳ ଗାନ୍ଧୀଙ୍କଦ୍ୱାରା ଭାରତୀୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ପଦରେ ନିଯୁକ୍ତ ହୋଇଥିଲେ ଏବଂ ଝାଡ଼ଖଣ୍ଡ ଯୁବ କଂଗ୍ରେସର ଦାୟିତ୍ୱ ଗ୍ରହଣ କରିଥିଲେ । ଓଡ଼ିଶା ଯୁବ କଂଗ୍ରେସର ସଭାପତି ଭାବରେ ପ୍ରଦୀପ ମାଝୀ ଓଡ଼ିଶାରେ ଦୁର୍ବଳ ହୋଇ ପଡ଼ିଥିବା କଂଗ୍ରେସକୁ ସଜାଡ଼ିବାକୁ ଚେଷ୍ଟା କରିଥିଲେ । ସାରା ରାଜ୍ୟରେ ‘ଟାଲେଣ୍ଟ ହଣ୍ଟ’ର ଆୟୋଜନ କରି ଯୁବଗୋଷ୍ଠୀଙ୍କୁ କଂଗ୍ରେସ ଦଳରେ ଯୋଗ ଦେବାକୁ ପ୍ରେରିତ କରିଥିଲେ ।
ସେ ୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ଏବଂ ୩୦୮୨୦ ଖଣ୍ଡ ଭୋଟ୍‌ରେ ବିଜୟୀ ହୋଇ ୧୫ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଏତେ ସବୁ ସଫଳତା ପାଇଥିବା ପ୍ରଦୀପ ଶେଷରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସକୁ ବଡ ଝଟକା ଦେଇ ନାହିଁ ନାହିଁ କହି ଶେଷରେ, ଇସ୍ତଫା ଦେଇଥିଲେ । ପ୍ରଦେଶ କଂଗ୍ରେସ କମିଟି (ପିସିସି)ର କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେଇ ସେ ବିଜେଡିକୁ ଲମ୍ପ ପ୍ରଦାନ କରିଥିଲେ ।
ଇସ୍ତଫା ଦେଲାବେଳେ ସେ ସୋନିଆ ଗାନ୍ଧିଙ୍କୁ ଲେଖିଥିଲେ କଂଗ୍ରେସରେ କାମ କରିବାକୁ ଆଉ ପର୍ଯ୍ୟାପ୍ତ ସୁଯୋଗ ନାହିଁ । କିଛି ଲୋକଙ୍କୁ ଯୋଗୁଁ ଦଳର ତାର ବିଶ୍ୱସନୀୟତା ହରାଇଛି । ଆଉ ଏହାକୁ ଫେରିପାଇବାକୁ ହେଲେ ବହୁତ ସମୟ ଲାଗିବ । ତେଣୁ ସେ ଦଳ ଛାଡୁଛନ୍ତି ।
“ମୁଁ ଅତ୍ୟନ୍ତ ଦୁଃଖର ସହ କହିବାକୁ ଚାହୁଁଛି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଇସ୍ତଫା ଦେଉଛି । ଲୋକଙ୍କ ସେବା କରିବାକୁ ମୁଁ ଜାତୟ କଂଗ୍ରେସକୁ ଆସିଥିଲି । ଲୋକଙ୍କ ସେବା କରିବାକୁ କଂଗ୍ରେସରେ ବର୍ତମାନ ପରିସ୍ଥିତିରେ ଆଉ ଯଥେଷ୍ଟ ସୁଯୋଗ ନାହିଁ ।”
ଦିନେ ଯେଉଁ ପ୍ରଦୀପ ନ ପିସିସିର କାର୍ଯ୍ୟକାରୀ ସଭାପତି ଥିଲେ ଆଜି ବିଜେଡିକୁ ଆସି ସେ କେଉଁଠି ଅଛନ୍ତି ତାହା ସେ ହିଁ ଅନୁଭବ କରିପାରୁଥିବେ । ରାଜ୍ୟ କଂଗ୍ରେସର ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥାଇ ସରକାରଙ୍କୁ ଥରହର କରୁଥିବା ନେତା ଏବେ ଯେ ନିସହାୟ ହୋଇପଡିଛନ୍ତି ଏହି ଚର୍ଚା ରାଜ୍ୟ ରାଜନୀତିରେ ହେଉଛି । ଦେଖାଯାଉ ଆଗାମୀ 2024 ସାଧାରଣ ନିର୍ବାଚନରେ ବିଜେଡି ପ୍ରଦୀପଙ୍କୁ କେଉଁ ଦାୟିତ୍ବ ଦେଉଛି । ଆଉ ତାଙ୍କ ପତିଆରା କେତେ ବୃଦ୍ଧି ପାଉଛି ନା ପୁଣି ତଳକୁ ତଳକୁ ଯାଉଛି । ତାହା ହିଁ ସମୟ କହିବ ।

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *