କଣ ପାଇଁ ନବଙ୍କୁ ମାରିଲେ ଗୋପାଳ ?

କଣ ପାଇଁ ନବଙ୍କୁ ମାରିଲେ ଗୋପାଳ ?

ଫୋକସ ପ୍ଲସ ୩୦/୧/୨୩(ବ୍ୟୁରୋ): ଜଣେ ହେଭି ୱେଟ ନେତା ତଥା ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ହତ୍ୟା ଘଟଣାରେ ଏବେ ବହୁତ ପ୍ରଶ୍ନ ସାମ୍ନାକୁ ଆସୁଛି | ଏହି ହତ୍ୟାକାଣ୍ଡ ପଛର କାରଣକୁ ନେଇ ଲୋକଙ୍କ ଭିତରେ ଭିନ୍ନ ଭିନ୍ନ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି | ଜଣେ ପୁଲିସ ଏଏସ୍‌ଆଇ କେଉଁ କାରଣରୁ ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଆଗେଇ ଗଲେ | ଏହାର କାରଣ ଖୋଜିବାରେ କ୍ରାଇମବ୍ରାଞ୍ଚ ଲାଗି ପଡ଼ିଲାଣି | ହେଲେ ଲୋକେ ଏହାର ବିଭିନ୍ନ ଦିଗକୁ ନେଇ ତର୍ଜମା କରିବାକୁ ଲାଗି ପଡିଛନ୍ତି | ଏହି ଘଟଣା ପାଇଁ କଣ ସେଇ ସଂପୃକ୍ତ ପୁଲିସ୍‌ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ଦାୟୀ ନା ୟାରୀ ଭିତରେ ସେ କାହାରିଠୁ ସୁପାରି ନେଇଥିଲେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି |ସଂପୃକ୍ତ ପୁଲିସ୍‌ ଏଏସ୍‌ଆଇ ଗାନ୍ଧୀଛକ ଫାଣ୍ଡିରେ ପ୍ରାୟ ଦୁଇ ବର୍ଷ ହେବ ଫାଣ୍ଡି ଅଧିକାରୀ ରହିଛନ୍ତି | ତା ପୂର୍ବରୁ ସେ ବଡ଼ମାଲ ଥାନା, କୋଲାବିରା ଥାନା, ଝାରସୁଗୁଡ଼ା ଥାନା ଆଦିରେ କାର୍ଯ୍ୟ କରିଥିଲେ | ଯଦିଓ ସେ ଜଣେ ମାନସିକ ରୋଗୀ ଥିଲେ ବୋଲି ତାଙ୍କର ପତ୍ନୀ ଗଣମାଧ୍ୟମକୁ କହିଛନ୍ତି ତା ହେଲେ ତାଙ୍କର କାର୍ଯ୍ୟକଳାପରୁ ସେଭଳି କିଛି ଲକ୍ଷଣ ସାଧାରଣ ଲୋକେ ଜାଣି ପାରୁ ନଥିଲେ କାହିଁକି | ସେ ଅନ୍ୟମାନଙ୍କ ପରି ସ୍ୱାଭାବିକ ବ୍ୟବହାର ଦେଉଥିଲେ | ରବିବାର ଘଟଣା ଘଟିବା ପୂର୍ବରୁ ନିଜ ଝିଅଙ୍କୁ ଭିଡିଓ କଲ କରି ସ୍ୱାଭାବିକ କଥାବାର୍ତ୍ତା କରିଥିଲେ | ଆଉ ତାଙ୍କ ଭିତରେ କୌଣସି ପ୍ରକାର ମାନସିକ ବିଷାଦ ଅବା ଚାପ ସେମାନେ ଦେଖିବାକୁ ପାଇ ନ ଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି |ଅନ୍ୟପକ୍ଷରେ ନବ ଦାସ ଦଳୀୟ ସମାବେଶରେ ଯୋଗ ଦେବାକୁ ଯିବା ପୂର୍ବରୁ ସେଠାରେ ସଂପୃକ୍ତ ଏଏସ୍‌ଆଇ ପହଞ୍ଚି ଅନେକ ବିଜେଡ଼ି କର୍ମୀଙ୍କ ସହ ସ୍ୱାଭାବିକ ଭାବେ କରମର୍ଦନ କରିବା ସହ କଥାବାର୍ତ୍ତା କରିଥିଲେ | ସେ କୌଣସି ପ୍ରକାର ଚାପରେ ଥିବା ଭଳି ଜଣା ପଡ଼ୁ ନଥିଲା ବୋଲି ଜଣାପଡିଛି | ମାତ୍ର ହଠାତ ନବ ବାବୁ କାର୍‌ରେ ପହଞ୍ଚିବା କ୍ଷଣି ସେ କାର ନିକଟକୁ ଧାଇଁ ଯାଇ ଛାତିକୁ ଲକ୍ଷ କରି ଗୁଳି ନିକ୍ଷେପ କରିବା ଘଟଣା ଲୋକଙ୍କୁ ବିସ୍ମିତ କରିଛି | ହେଲେ ସେ କେଉଁ କାରଣରୁ ଲୋକଙ୍କ ଭିଡ଼ ଭିତରେ ହତ୍ୟା କରିବାର ଦୁଃସାହାସ କଲେ? ଏହା ପଛରେ ତାଙ୍କର ବ୍ୟକ୍ତିଗତ ରାଗ ନା ସେ କାହାରିଠାରୁ ମୋଟା ରକମ ନେଇ ସୁପାରି କିଲରର ଭୂମିକା ନେଇଥିଲେ ବୋଲି ପ୍ରଶ୍ନ ହେଉଛି |ଅନ୍ୟପକ୍ଷରେ ସମ୍ବଲପୁର-ସୁନ୍ଦରଗଡ଼ ଶିଳ୍ପ କରିଡର୍‌ରେ ନବ ବାବୁ ଖଣିଜ ଏବଂ ଶିଳ୍ପ ସଂସ୍ଥାଙ୍କ କଞ୍ଚାମାଲ ଯୋଗାଣ ଓ ଅନ୍ୟାନ୍ୟ ଠିକା କାର୍ଯ୍ୟକୁ ନେଇ ନିଜର ପ୍ରାଧାନ୍ୟ ଜାହିର କରି ଆସିଛନ୍ତି । ଅନ୍ୟ ନେତା ନବ ବାବୁଙ୍କ ବଳୟ ଭେଦ କରିବା କଷ୍ଟକର ହୋଇଥାଏ । ଏଭଳି ପରିସ୍ଥିତିରେ ରାଜନୈତିକ କ୍ଷମତାର ପ୍ରଭାବରେ ଚାଲିଥିବା ବ୍ୟବସାୟରେ ଶତ୍ରୁତା ବି କିଛି କମ ନୁହେଁ । ହେଲେ ପୁଲିସ ଏଏସ୍‌ଆଇ ଏଭଳି କୌଣସି ଶତ୍ରୁତା ପାଇଁ ବ୍ୟବହାର ହୋଇ ନାହାଁନ୍ତି ତ ବୋଲି ପ୍ରଶ୍ନ ଉଠୁଛି | ନିକଟରେ ସୁନ୍ଦରଗଡ଼ ଜିଲ୍ଲାର ହେମଗିର ଅଞ୍ଚଳରେ କୋଇଲା ପରିବହନ ବ୍ୟବସାୟକୁ ନେଇ ନବ ସମର୍ଥକଙ୍କୁ ମାରପିଟ୍‌ ହେବା ଘଟଣା ମଧ୍ୟ ଚର୍ଚ୍ଚାର ପରିସରକୁ ଆସିବା ସ୍ୱାଭାବିକ |ତେବେ ଏଏସଆଇ ଜଣଙ୍କ ମନ୍ତ୍ରୀଙ୍କୁ ହତ୍ୟା କରିବା ଘଟଣାରେ କ୍ରାଇମ ବ୍ରାଞ୍ଚର ତଦନ୍ତ କେଉଁ ଦିଗକୁ ଯାଉଛି ତାହା କୁ ହିଁ ସମସ୍ତଙ୍କ ଅପେକ୍ଷା |

Related post

Leave a Reply

Your email address will not be published. Required fields are marked *